ପିଠିରେ ନୁହେଁ, ଛାତିରେ ବାଜି ଥିଲା ଚାରୋଟି ଗୁଳି ; ରାଧିକା ଯାଦବଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଆଶ୍ଚର୍ଯ୍ୟକର ଖୁଲାସା

Published By : Prameya-News7 Bureau | July 11, 2025 IST

ଗୁରୁଗ୍ରାମ୍ : ଗୁରୁଗ୍ରାମ୍‌ରେ ଟେନିସ୍ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ବାପା ଦୀପକ ଯାଦବ ହତ୍ୟା କରିଛନ୍ତି। ଗୁରୁବାର (୧୧ ଜୁଲାଇ) ସକାଳେ ରାଧିକାଙ୍କ ପିତା ତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଗୁଳି କରି ଥିଲେ, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ରାଧିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି। ରିପୋର୍ଟରେ ଯେଉଁ କଥା ସାମ୍ନାକୁ ଆସିଛି, ତାହା ଖୁବ୍‌ ଆଶ୍ଚର୍ଯ୍ୟକର। 

ଉଲ୍ଲେଖନୀୟ ଯେ, ପୋଷ୍ଟମର୍ଟମ ରିପୋର୍ଟରେ ଯେଉଁ ଖୁଲାସା ହୋଇଛି, ତାହା ହତ୍ୟାକୁ ନେଇ କରାଯାଉ ଥିବା ଦାବି ଠାରୁ ସଂପୂର୍ଣ୍ଣ ଭିନ୍ନ। 

ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଛି ଯେ, ରାଧିକାଙ୍କ ଶରୀରରୁ ଚାରୋଟି ଗୁଳି ବାହାର କରାଯାଇଛି ଏବଂ ଏହି ଚାରୋଟି ଗୁଳି ତାଙ୍କର ଛାତିରେ ଲାଗି ଥିଲା। ଯାହାକି ପ୍ରଥମେ ଏହି ଦାବି କରାଯାଉ ଥିଲା ଯେ, ରାଧିକାଙ୍କ ବାପା ପଛରୁ ରାଧିକାଙ୍କ ଉପରେ ଗୁଳି ବର୍ଷା କରିଥିଲେ ଏବଂ ଏଥିରୁ ୩ଟି ଗୁଳି ରାଧିକାଙ୍କ ପିଠିରେ ବାଜି ଥିଲା। ଏହି ସମୟରେ ରାଧିକା ରୋଷେଇ ଘରେ ଭୋଜନ କରୁଥିଲେ। ସୂଚନା ଆଧାରରେ, ରାଧିକାଙ୍କ ବାପା ନିଜେ ତାଙ୍କର ଦୋଷ ସ୍ୱୀକାର କରି ରାଧିକାଙ୍କୁ ତିନୋଟି ଗୁଳି ମାରିଥିବା କହିଥିଲେ। କିନ୍ତୁ ଏବେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିବା ପରେ ବାପାଙ୍କ ସ୍ୱୀକାରୋକ୍ତିରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେବା ନଜର ଆସିଛି।

ପୁଲିସ ମାମଲାର ସୂଚନା ଦେଇ କହିଛି ଯେ, ରାଧିକାଙ୍କ ବାପା ଦୀପକ ଯାଦବ ସ୍ୱୀକାର କରିଛନ୍ତି ଯେ, ସେ ହିଁ ରାଧିକାଙ୍କ ଉପରେ ଗୁଳି କରିଥିଲେ ,କାରଣ ତାଙ୍କୁ ପ୍ରାୟତଃ ତାଙ୍କର ରୋଜଗାର ଉପରେ ନିର୍ଭର କରୁଥିବା ଯୋଗୁଁ କଟୁ କଥା କୁହାଯାଉ ଥିଲା। ରାଧିକା ଟେନିସ ଏକାଦମୀ ଚଲାଇବାକୁ ନେଇ ମଧ୍ୟ ଦୀପକ ଯାଦବ ନିରାଶ ଥିଲେ।

ଗୁରୁଗ୍ରାମ ପୁଲିସର ମୁଖପାତ୍ରଙ୍କ କହିବାନୁସାରେ, ଦୀପକ ଖୁଲାସା କରିଥିଲେ ଯେ, ନିଜ ଝିଅ ଦ୍ୱାରା ଟେନିସ୍‌ ଏକାଦମୀ ପରିଚାଳନା ନେଇ ସେ ବାରଣ କରୁଥିଲେ, ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଅନେକଥର ଦୀପକ ଯାଦବ ରାଧିକାଙ୍କୁ ଏକାଦମୀ ବନ୍ଦ କରିବାକୁ କହିଥିଲେ, କିନ୍ତୁ ସେ ରାଜି ହୋଇ ନଥିଲେ। ଏଥିରେ ବିରକ୍ତ ହୋଇ ଦୀପକ ଯାଦବ ରାଧିକାଙ୍କୁ ଗୁଳି କରିଥିଲେ। 

ରାଧିକାଙ୍କ ହତ୍ୟା ତାଙ୍କ ଘରର ପ୍ରଥମ ଫ୍ଲୋରରେ ହୋଇ ଥିଲା। ସେହି ସମୟରେ ଘରେ ତାଙ୍କର ମାଆ-ବାପା ଓ ରାଧିକା ଥିଲେ। ସେଠାରେ ଗ୍ରାଉଣ୍ଡ ଫ୍ଲୋରରେ ଦାଦା କୁଳଦୀପ ନିଜର ପରିବାର ସହ ରୁହନ୍ତି। ରାଧିକାଙ୍କର ଭାଇ ଘଟଣା ସମୟରେ ଅଫିସରେ ଥିଲେ। ଦାଦା କହିଛନ୍ତି,ସେ ଏକ ଜୋରଦାର ଶବ୍ଦ ଶୁଣିଲେ , ଯାହା ପରେ ସେ ଦୌଡ଼ିକି ଉପରକୁ ଆସିଲେ। ସେ ଦେଖିଲେ ଯେ, ରାଧିକା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛନ୍ତି। ତାଙ୍କର ପୁଅ ମଧ୍ୟ ପଛେ ପଛେ ଉପରକୁ ଆସିଥିଲେ। ଉଭୟ ରାଧିକାଙ୍କୁ ନିଜ କାରରେ ହସ୍ପିଟାଲ ନେଇଯାଇ ଥିଲେ , ଯେଉଁଠି ଡାକ୍ତରମାନେ ତାଙ୍କୁ ମୃତ ଘୋଷଣ କରିଥିଲେ।

ଶୁକ୍ରବାର ଗୁରୁଗ୍ରାମର ଏକ କୋର୍ଟ ଦୀପକ ଯାଦବଙ୍କୁ ଗୋଟିଏ ଦିନର ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି। କୋର୍ଟ ବାହାରେ , ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ, ସେ ଅଭିଯୁକ୍ତର ଦୁଇ ଦିନର ହେପାଜତ ମାଗିଛନ୍ତି। ସେ କହିଛନ୍ତି , ଆମକୁ ତାଙ୍କର ଲାଇସେନ୍ସ ରିଭଲବରର ଗୁଳି ଜବତ କରିବାର ଅଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.